548
ନୂଆପଡ଼ା -୦୬/୦୬- ନୂଆପଡ଼ା ଜିଲ୍ଲା ବୋଡ଼େନ ଥାନା ଅନ୍ତର୍ଗତ ବୋଲଧାମାଳ ନିକଟ ବିଜୁ ଏକ୍ସପ୍ରେସ ୱେରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ କାର୍ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ଜଣକ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା ଅନ୍ତର୍ଗତ ତମ୍ବାଛଡ଼ା ଗ୍ରାମର ତପନ ପାତ୍ର ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ଧର୍ମଗଡ଼ର ତପନ ପାତ୍ର, ତାଙ୍କ ଭାଇ ସପନ ପାତ୍ର, ଖଇରପଦର ଗ୍ରାମର ଚନ୍ଦନ ପାତ୍ର ଏବଂ କୋକସରା ଥାନା ଝାରକୁମୁଡାମାଲ ଗ୍ରାମର ସ୍ମରଣ ପଣ୍ଡା ଏକ କାର୍ ଯୋଗେ ଧର୍ମଗଡ଼ରୁ ଛତିଶଗଡ଼ର ରାୟପୁର ଅଭିମୁଖେ ବାହାରିଥିଲେ। ତେବେ ବିଜୁ ଏକ୍ସପ୍ରେସ ୱେର ବୋଲଧାମାଳ ନିକଟରେ କାର୍ଟି ନିୟନ୍ତ୍ରଣ ହରାଇ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଦୁର୍ଘଟଣା ଗ୍ରସ୍ତ କାର ନମ୍ୱର ସିଜି- ୦୪- -ଏମଡବ୍ଲ୍ୟୁ – ୩୯୭୪ ବୋଲି ଜଣାପଡିଛି । ଦୁର୍ଘଟଣା ପରେ ସ୍ଥାନୀୟ ଜନସାଧାରଣ ତୁରନ୍ତ ଉଦ୍ଧାର କାର୍ଯ୍ୟରେ ଜଡ଼ିତ ହୋଇ ଆହତମାନଙ୍କୁ କୋମନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତପନଙ୍କୁ ‘ମୃତ’ ଘୋଷଣା କରିଥିବା ବେଳେ ଅନ୍ୟ ତିନି ଆହତଙ୍କୁ ପ୍ରାଥମିକ ଚିକିତ୍ସା ପ୍ରଦାନ କରାଯାଇଛି।