Home ରାଜ୍ୟମାତୃଭାଷା ହିଁ ମା’ ସଦୃଶ, ସମାଜର ବିକାଶ ପାଇଁ ଶିକ୍ଷା ହିଁ ଚାବିକାଠି : ନୂଆପଡ଼ାରେ ଗୋଣ୍ଡି ଲିପି ଓ ଭାଷା ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ।

ମାତୃଭାଷା ହିଁ ମା’ ସଦୃଶ, ସମାଜର ବିକାଶ ପାଇଁ ଶିକ୍ଷା ହିଁ ଚାବିକାଠି : ନୂଆପଡ଼ାରେ ଗୋଣ୍ଡି ଲିପି ଓ ଭାଷା ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ।

by Maraguda Express
0 comments
ନୂଆପଡ଼ା-୧୫/୬ ବିଲୁପ୍ତ ପ୍ରାୟ ଗୋଣ୍ଡୱାନା ଭୂଭାଗ ର ପାରମ୍ପରିକ ‘ଗୋଣ୍ଡି ଭାଷା ଓ ଲିପି’ର ପୁନରୁଦ୍ଧାର ଏବଂ ଏହାକୁ ଜୀବନ୍ତ ରଖିବା ଲକ୍ଷ୍ୟରେ ଏକ ବଡ଼ ପଦକ୍ଷେପ ନିଆଯାଇଛି। ନୂଆପଡ଼ା ଜିଲ୍ଲା ଆମାନାରା ଗ୍ରାମପଞ୍ଚାୟତ ସ୍ଥିତ ଗୋଣ୍ଡୱାନା ଭବନଠାରେ ଦୀର୍ଘ ୨ ମାସ ଧରି ଚାଲିଥିବା ଗୋଣ୍ଡି ଲିପି ଓ ଭାଷା ପ୍ରଶିକ୍ଷଣ ଶିବିର ସଫଳତାର ସହ ଉଦ୍‌ଯାପିତ ହୋଇଯାଇଛି। ଗୋଣ୍ଡୱାନା ସେବା ସଂଘ ଓ ଟ୍ରଷ୍ଟ, ନୂଆପଡ଼ାର ତତ୍ତ୍ଵାବଧାନ ଏବଂ ପାୱାରତୋଲା ସର୍କଲର ସହଯୋଗରେ ଏହି ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।

ଉତ୍ସବର ପ୍ରାରମ୍ଭରେ ସମସ୍ତ ଅତିଥି ପାରମ୍ପରିକ ରୀତିନୀତି ଅନୁଯାୟୀ ଆରାଧ୍ୟ ଦେବତା ‘ବଡ଼ାଦେଓ’ ଙ୍କ ପୂଜା ଅର୍ଚ୍ଚନା କରିଥିଲେ। ଏହାପରେ ମଞ୍ଚାସୀନ ଅତିଥିମାନଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ପାୱାରତୋଲା ସର୍କଲ ସଭାପତି ତିରୁମାଲ ବିଜୟ ଶଙ୍କର ମାଝୀ ଏବଂ ଟ୍ରଷ୍ଟର ସଭାପତି ତିରୁମାଲ ବଜରଙ୍ଗ ମାଝୀ ସ୍ୱାଗତ ଭାଷଣ ଦେଇ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ।
ଏହି କାର୍ଯ୍ୟକ୍ରମରେ ଗୋଣ୍ଡି ଭାଷାକୁ ସରକାରୀ ମାନ୍ୟତା ପ୍ରଦାନ କରି ସାମ୍ବିଧାନିକ ରୂପେ ସମ୍ବିଧାନର ଅଷ୍ଟମ ଅନୁସୂଚୀ (8th Schedule) ରେ ସାମିଲ କରିବା ପାଇଁ ମୁଖ୍ୟ ଅତିଥିଙ୍କ ଜରିଆରେ ସରକାରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା।
ଏହି ସମାପନ ଉତ୍ସବରେ ବହୁ ବିଶିଷ୍ଟ ବ୍ୟକ୍ତି ଓ ପ୍ରଶାସନିକ ଅଧିକାରୀ ଯୋଗ ଦେଇଥିଲେ ।
ମୁଖ୍ୟ ଅତିଥି ତିରୁମାଲ ହୋମସିଂ ମାଝୀ ଅଧ୍ୟକ୍ଷ – ସ୍ୱତନ୍ତ୍ର ଉନ୍ନୟନ ପରିଷଦ, ନୂଆପଡ଼ା ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ରୁପେ ତିରୁମାଲ ଲମ୍ବୋଦର ଧରୁଆ ମୁଖ୍ୟ ଜିଲ୍ଲା ଉନ୍ନୟନ ଅଧିକାରୀ, ନୂଆପଡ଼ା ତଥା ସମ୍ମାନିତ ଅତିଥି ଭାବେ ତିରୁମାଲ କ୍ଷମାନିଧି ଭୋୟ ଅତିରିକ୍ତ ଜିଲ୍ଲା ଉନ୍ନୟନ ଅଧିକାରୀ, ନୂଆପଡ଼ା, ତିରୁମାଲ ସଞ୍ଜୟ ଭୋଇ ଜିଲ୍ଲା ମଙ୍ଗଳ ଅଧିକାରୀ, ନୂଆପଡ଼ା, ତିରୁମାଲ ଦିବାକର ନାୟକ ଉପ-ସଭାପତି, ମୟୁରଭଞ୍ଜ, ତିରୁମାଲ ଚନ୍ଦନ ସିହ୍ନା ସରପଞ୍ଚ, ଆମାନାରା ପ୍ରମୁଖ ମଞ୍ଚାସିନ ଥିଲେ। ଅତିଥି ଙ୍କ ପ୍ରେରଣାଦାୟୀ ବାର୍ତ୍ତା :- “ଭାଷା ହେଉଛି ମାତୃ ତୁଲ୍ୟ। ସମାଜକୁ ପ୍ରଗତି ପଥରେ ଆଗେଇ ନେବା ପାଇଁ ଶିକ୍ଷା ହିଁ ଏକମାତ୍ର ଚାବିକାଠି। ଶିକ୍ଷା ସହିତ ଖେଳକୁଦ, ଉତ୍ତମ ସ୍ୱାସ୍ଥ୍ୟ ଏବଂ ରୋଜଗାର ଉପରେ ଗୁରୁତ୍ୱ ଦେବା ଜରୁରୀ।”ପ୍ରଶିକ୍ଷଣ ଶିବିରରେ ସମସ୍ତ ପ୍ରଶିକ୍ଷାର୍ଥୀମାନେ ନିଜ ହାତରେ ସୁନ୍ଦର ଟିଏଲଏମ୍ (TLM – Teaching Learning Material) ପ୍ରସ୍ତୁତ କରି ପ୍ରଦର୍ଶନ କରିବା ସହ ଗୋଣ୍ଡି ଭାଷା ରେ ଚମତ୍କାର ଉପସ୍ଥାପନା କରିଥିଲେ।
ଏହି ଅବସରରେ ସମାଜର ମେଧାବୀ ଛାତ୍ରଛାତ୍ରୀ ଏବଂ ସଫଳ ଯୁବକ ଯୁବତୀମାନଙ୍କୁ ଉତ୍ସାହିତ କରାଯାଇଥିଲା। ନବୋଦୟ, ଏକଲବ୍ୟ ଓ ଆଦର୍ଶ ବିଦ୍ୟାଳୟ ପାଇଁ ମନୋନୀତ ହୋଇଥିବା ଛାତ୍ରଛାତ୍ରୀ, ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ୬୦% ରୁ ଅଧିକ ନମ୍ବର ରଖିଥିବା କୃତୀ ଶିକ୍ଷାର୍ଥୀ, ନୂତନ ଭାବେ ଚାକିରି ପାଇଥିବା ଯୁବ ପ୍ରତିଭା ଏବଂ ଗୋଣ୍ଡି ଭାଷା ଶିକ୍ଷାର୍ଥୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ମାନପତ୍ର ପ୍ରଦାନ କରାଯାଇଥିଲା।
ଏହି ଭବ୍ୟ କାର୍ଯ୍ୟକ୍ରମକୁ ପାୱାରତୋଲା ସର୍କଲର ସମସ୍ତ ସାମାଜିକ ପଦାଧିକାରୀ, GSST ନୂଆପଡ଼ାର କର୍ମକର୍ତ୍ତାଙ୍କ ସମେତ ବିପୁଳ ସଂଖ୍ୟାରେ ଯୁବଶକ୍ତି ଓ ମାତୃ-ପିତୃ ଶକ୍ତି ଯୋଗଦେଇ ସଫଳ କରାଇଥିଲେ। କାର୍ଯ୍ୟକ୍ରମକୁ ତିରୁମାଲ ଦିନେଶ କୁମାର ମାଝୀ (ସହ ସମ୍ପାଦକ) ଓ ତିରୁମାଲ ଦୀନେଶ କୁମାର ମାଝୀ (ସଂସ୍କୃତି ପ୍ରମୁଖ) ଅତି ସୁନ୍ଦର ଓ ସୁଚାରୁରୂପେ ପରିଚାଳନା କରିଥିଲେ। ଶେଷରେ ସମସ୍ତ ଅତିଥି, ସଗା ସମାଜ ଏବଂ ପଦାଧିକାରୀଙ୍କୁ ଧନ୍ୟବାଦ ଅର୍ପଣ ପୂର୍ବକ ସଭାପତିଙ୍କ ଅନୁମୋଦନ କ୍ରମେ ସଭା ସାଙ୍ଗ ହୋଇଥିଲା।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha