
ନୂଆପଡା-୨୦/୯ (ସୁରେନ୍ଦ୍ର ତିୱାରୀ) “ଏକକ ବ୍ୟବହୃତ ପ୍ଲାଷ୍ଟିକ ମୁକ୍ତ ନୂଆପଡ଼ା ଅଭିଯାନ” ରେ ସଂମ୍ପୃକ୍ତ ଜିଲ୍ଲା ସ୍ୱଚ୍ଛତା ଦଳ ସଦସ୍ୟ ଏବଂ ଅଧିକାରୀ ମାନଙ୍କୁ ଆଜି ସ୍ଥାନୀୟ ସଦ୍ଭାବନା ସଭାଗୃହରେ ଜିଲ୍ଲାପାଳ ମଧୂସୁଦନ ଦାଶ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ।ନୂଆପଡା ଜିଲ୍ଲା ପ୍ରଶାସନଙ୍କ ଏହି ଅଭିନବ ପ୍ରୟାସ ଦ୍ୱାରା ପ୍ଲାଷ୍ଟିକ ବ୍ୟବହାରକୁ ନିୟନ୍ତ୍ରଣ କରିବା ସହିତ ପ୍ଲାଷ୍ଟିକ ବର୍ଜ୍ୟ ପଦାର୍ଥ ବ୍ୟବସ୍ଥାପନାରେ ଅଭୂତପୂର୍ବ ସଫଳତା ଦେଖିବାକୁ ମିଳିଛି ।ଗତ କିଛି ଦିନରେ ସମସ୍ତ ବ୍ଲକ ଓ ଏନ୍ ଏ ସି ମାଧ୍ୟମରେ ସ୍ୱଚ୍ଛତା ଅଭିଯାନ, ସଚେତନତା କାର୍ଯ୍ୟକ୍ରମ ଏବଂ ଅବୈଧ ପ୍ଲାଷ୍ଟିକ ବିରୋଧରେ ଜରିମାନା କାର୍ଯ୍ୟାନୁଷ୍ଠାନ ସକ୍ରିୟ ଭାବରେ ଚାଲିଛି । ବିଶେଷକରି, “ଏକ ପେଡ଼ ମା କେ ନାମ ” କାର୍ଯ୍ୟକ୍ରମ ଅଧୀନରେ ବୃକ୍ଷରୋପଣ ସମୟରେ ବ୍ୟବହୃତ ପଲିଥିନ ବ୍ୟାଗ ସଂଗ୍ରହକୁ ମଧ୍ୟ ବଡ଼ ପ୍ରାଥମିକତା ଦିଆଯାଇଛି । ଏଥିରେ ଆଜି ପର୍ଯ୍ୟନ୍ତ ୧୨୪୦ କିଲୋଗ୍ରାମ ପ୍ଲାଷ୍ଟିକ ବର୍ଜ୍ୟ ପଦାର୍ଥ ସଂଗ୍ରହ କରାଯାଇଛି ।
ଜିଲ୍ଲାର ଆଠଟି ସ୍ୱଚ୍ଛତା ଦଳଙ୍କୁ ଏହି ଅଭିଯାନରେ ତାଙ୍କର ଅସାଧାରଣ ଅବଦାନ ପାଇଁ ଆଜି ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଦ୍ୱାରା ସ୍ୱାଗତ, ଅଭିନନ୍ଦନ ଓ ସମ୍ମାନିତ କରାଯାଇଛି । ଦଳୀୟ ଉତ୍ସାହ, କଠୋର ପରିଶ୍ରମ ଓ ନିଷ୍ଠାପର ଅଭିଯାନ ଏହାକୁ ଏକ ଗଣ ଆନ୍ଦୋଳନରେ ପରିଣତ କରିପାରିଛି ।ଜିଲ୍ଲାପାଳଙ୍କ ନେତୃତ୍ୱରେ ସମସ୍ତ ଲୋକ ପ୍ରତିନିଧି ,ବିଭାଗୀୟ ଅଧିକାରୀ, ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିବା ବେଳେ ସାଧାରଣ ଲୋକମାନଙ୍କୁ ମଧ୍ୟ ବ୍ୟାପକ ସହଭାଗୀତା କରିବାକୁ ପ୍ରେରିତ କରାଯାଇଛି ।ଜିଲ୍ଲାପାଳ କହିଛନ୍ତି “ଏକକ ବ୍ୟବହୃତ ପ୍ଲାଷ୍ଟିକ ମୁକ୍ତ ନୂଆପଡ଼ା ଅଭିଯାନ” କେବଳ ଏକ ସ୍ୱଚ୍ଛତା ଅଭିଯାନ ନୁହେଁ, ଏହା ହେଉଛି ଆମର ଆଗାମୀ ପିଢ଼ି ପାଇଁ ସବୁଜ ଓ ପ୍ଲାଷ୍ଟିକ ମୁକ୍ତ ଭବିଷ୍ୟତ ନିର୍ମାଣର ପ୍ରତିଶ୍ରୁତି । ସମସ୍ତଙ୍କ ସମ୍ପ୍ରୁକ୍ତିରେ ନୂଆପଡାକୁ ଦେଶରେ ଆଦର୍ଶ ଜିଲ୍ଲା କରାଯିବ ବୋଲି ସେ ସମସ୍ତଙ୍କୁ ଆହ୍ବାନ ଦେଇଥିଲେ।ସମସ୍ତଙ୍କ ପ୍ରୟାସରେ ଜିଲ୍ଲା ଆହୁରି ସୁସ୍ଥ,ସବୁଜ ଓ ସ୍ୱଚ୍ଛ ପ୍ଲାଷ୍ଟିକ ମୁକ୍ତ ପରିବେଶର ଲକ୍ଷ୍ୟ ହାସଲ କରିବ ବୋଲି ସ୍ୱଚ୍ଛ ଦଳର ସମସ୍ତ ସଦସ୍ୟ ମତବ୍ୟକ୍ତ କରିଥିଲେ ।
ଏକକ ବ୍ୟବହୃତ ପ୍ଲାଷ୍ଟିକ ମୁକ୍ତ ନୂଆପଡା” ଅଭିଯାନର ସମର୍ପିତ ଅଧିକାରୀ ମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ।
108