97
ନୂଆପଡ଼ା -୧୧/୬- ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ଚାଲିଥିବା ସ୍ୱତନ୍ତ୍ର ସଂଘନ ସଂଶୋଧନ (ଏସ୍ଆଇଆର୍)- ୨୦୨୬ କାର୍ଯ୍ୟକ୍ରମ ଅଧୀନରେ ଭୋଟର ତାଲିକା ସଂଶୋଧନ ଓ ଏନ୍ୟୁମେରେସନ୍ ଫର୍ମ ଡିଜିଟାଇଜେସନ୍ କାର୍ଯ୍ୟର ଅଗ୍ରଗତି ସମୀକ୍ଷା ପାଇଁ ବୁଧବାର ନୂଆପଡ଼ା ବ୍ଲକ୍ ସମ୍ମିଳନୀ କକ୍ଷରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଉପ-ଜିଲ୍ଲାପାଳ ତଥା ଭୋଟର ପଞ୍ଜିକରଣ ଅଧିକାରୀ (ଇଆର୍ଓ) ସୁର୍ମି ସୋରେନ ଏହି ବୈଠକର ଅଧ୍ୟକ୍ଷତା କରିଥିଲେ। ବୈଠକ ରେ ବୁଥ୍ ସ୍ତରୀୟ ଅଧିକାରୀ (ବିଏଲ୍ଓ)ମାନଙ୍କ ଦ୍ୱାରା ଏନ୍ୟୁମେରେସନ୍ ଫର୍ମ ବିତରଣ, ସଂଗ୍ରହ ଏବଂ ଡିଜିଟାଇଜେସନ୍ କାର୍ଯ୍ୟର ଅଗ୍ରଗତି ଉପରେ ବିସ୍ତୃତ ସମୀକ୍ଷା କରାଯାଇଥିଲା। ଏହି ଅବସରରେ ୭୧-ନୂଆପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀର ଟାନୱାଟ-୨ ଅଞ୍ଚଳ ଅନ୍ତର୍ଗତ ବୁଥ୍ ନଂ-୧୮୮ର ବିଏଲ୍ଓ ହୀରାଲାଲ ପଟେଲ ଙ୍କୁ ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟଦକ୍ଷତା ପାଇଁ ପ୍ରଶଂସାପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା।
୧୦ ଦିନରେ ଶତପ୍ରତିଶତ ସଫଳତା- ହୀରାଲାଲ ପଟେଲ ନିଜ ଅଧୀନସ୍ଥ ବୁଥ୍ର ସମସ୍ତ ଏନ୍ୟୁମେରେସନ୍ ଫର୍ମର ୧୦୦ ପ୍ରତିଶତ ବିତରଣ, ସଂଗ୍ରହ ଏବଂ ଡିଜିଟାଇଜେସନ୍ କାର୍ଯ୍ୟକୁ ନିର୍ଭୁଲ ଭାବେ ସମ୍ପନ୍ନ କରିଛନ୍ତି। ବିଶେଷ କଥା ହେଉଛି, ସେ ଏହି ସମଗ୍ର ପ୍ରକ୍ରିୟାକୁ ମାତ୍ର ୧୦ ଦିନ ମଧ୍ୟରେ ଶେଷ କରି ଜିଲ୍ଲାର ପ୍ରଥମ ବିଏଲ୍ଓ ଭାବେ ନୂଆ ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି।
ତାଙ୍କର ଏହି ସଫଳତା କେବଳ କାର୍ଯ୍ୟଦକ୍ଷତା ର ପରିଚୟ ନୁହେଁ, ବରଂ ଜନସେବା ପ୍ରତି ତାଙ୍କର ନିଷ୍ଠା, ଦାୟିତ୍ୱବୋଧ ଓ କର୍ତ୍ତବ୍ୟନିଷ୍ଠାର ଏକ ଉଜ୍ଜ୍ୱଳ ଉଦାହରଣ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା।
“ଭୋଟର ତାଲିକାର ଶୁଦ୍ଧତା ହେଉଛି ଗଣତନ୍ତ୍ରର ମୂଳ ଆଧାର”
ଏହି ଅବସରରେ ଉପ-ଜିଲ୍ଲାପାଳ ସୁର୍ମି ସୋରେନ କହିଥିଲେ ଯେ, ଭୋଟର ତାଲିକାର ଶୁଦ୍ଧତା ଓ ନିର୍ଭୁଲତା ଗଣତନ୍ତ୍ରର ମୂଳ ଆଧାର। ଏହି ଲକ୍ଷ୍ୟ ପୂରଣରେ ବୁଥ୍ ସ୍ତରୀୟ ଅଧିକାରୀମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ହୀରାଲାଲ ପଟେଲଙ୍କ ପରି ନିଷ୍ଠାବାନ ଅଧିକାରୀଙ୍କ ସଫଳତା ଅନ୍ୟ ବିଏଲ୍ଓମାନଙ୍କ ପାଇଁ ପ୍ରେରଣାଦାୟକ ହେବା ସହିତ ସ୍ୱତନ୍ତ୍ର ସଂଘନ ସଂଶୋଧନ- ୨୦୨୬ ର ସଫଳ ରୂପାୟନ ରେ ସହାୟକ ହେବ।
ବୈଠକ ରେ ଡେପୁଟି ଜିଲ୍ଲାପାଳ (ନିର୍ବାଚନ) ଶେଖ ନସୀମ, ସହକାରୀ ନିର୍ବାଚନ ପଞ୍ଜିକରଣ ଅଧିକାରୀ (ଏଇଆର୍ଓ) ତଥା ନୂଆପଡ଼ା ବିଡିଓ ରୋହିତ ଭୋଇ, ସୁପରଭାଇଜର, ବିଏଲ୍ଓ ଏବଂ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।