20
Table of Contents
ନୂଆପଡ଼ା- ୨୪/୦୬ – ନୂଆପଡ଼ା ଜିଲ୍ଲାରେ ଜଳ ସଂରକ୍ଷଣ, ମୃତ୍ତିକା ସୁରକ୍ଷା ଏବଂ କୃଷିଭିତ୍ତିକ ଉନ୍ନୟନ କାର୍ଯ୍ୟକ୍ରମକୁ ଅଧିକ ଗତିଶୀଳ କରିବା ଲକ୍ଷ୍ୟରେ ଜିଲ୍ଲା ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ବିଭାଗର ମାସିକ ସମୀକ୍ଷା ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାରେ ଚାଲୁଥିବା ବିଭିନ୍ନ ଯୋଜନାର ଅଗ୍ରଗତି ସମୀକ୍ଷା ସହ ଆଗାମୀ କାର୍ଯ୍ୟଯୋଜନା ଉପରେ ବ୍ୟାପକ ଆଲୋଚନା କରାଯାଇଥିଲା।ବୈଠକର ପ୍ରାରମ୍ଭରେ ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ସ୍ୱୟଂପ୍ରଭା ସିଂହ ଉପସ୍ଥିତ ଅଧିକାରୀମାନଙ୍କୁ ସ୍ୱାଗତ ଜଣାଇ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ପ୍ରଗତି ସମ୍ପର୍କରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ।
ସମୀକ୍ଷା ବୈଠକରେ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାୟୀ ଯୋଜନା, ବୃଷ୍ଟିପୃଷ୍ଟ ଅଞ୍ଚଳ ବିକାଶ ଯୋଜନା, ଜଳଧାରା ଯୋଜନା, ମନରେଗା ଏବଂ କୃଷିବନୀକରଣ ଯୋଜନା ଅନ୍ତର୍ଗତ ଚାଲୁଥିବା କାର୍ଯ୍ୟର ଅଗ୍ରଗତି ଉପରେ ସବିଶେଷ ଆଲୋଚନା ହୋଇଥିଲା। ବିଭିନ୍ନ ପ୍ରକଳ୍ପ ମାଧ୍ୟମରେ ଜଳ ସଂରକ୍ଷଣ, ଭୂମି ଉନ୍ନୟନ ଓ କୃଷକମାନଙ୍କ ଆୟ ବୃଦ୍ଧି ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକର ସମୀକ୍ଷା କରାଯାଇଥିଲା।