Home ରାଜ୍ୟନୂଆପଡ଼ାରେ ଖରିଫ ଚାଷ ପାଇଁ କୃଷି ରଣନୀତି ବୈଠକ : ସାର କଳାବଜାରୀ ଓ ଅଧିକ ଦରରେ ବିକ୍ରି ଉପରେ କଠୋର ନଜର।

ନୂଆପଡ଼ାରେ ଖରିଫ ଚାଷ ପାଇଁ କୃଷି ରଣନୀତି ବୈଠକ : ସାର କଳାବଜାରୀ ଓ ଅଧିକ ଦରରେ ବିକ୍ରି ଉପରେ କଠୋର ନଜର।

by Maraguda Express
0 comments

Table of Contents

ନୂଆପଡ଼ା -୧୨/୦୮ – ଚଳିତ ଖରିଫ-୨୦୨୬ ଋତୁରେ ନୂଆପଡ଼ା ଜିଲ୍ଲାର କୃଷକମାନଙ୍କୁ ଆବଶ୍ୟକ କୃଷି ସାମଗ୍ରୀର ସୁବ୍ୟବସ୍ଥିତ ଯୋଗାଣ ଏବଂ ବିଭିନ୍ନ କୃଷି ଯୋଜନାର ସଫଳ ରୂପାୟଣ ନେଇ ଜିଲ୍ଲାସ୍ତରୀୟ କୃଷି ରଣନୀତି (Kharif Strategy) କମିଟି ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଏହି ବୈଠକ ହୋଇଥିଲା।ବୈଠକରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଣତିରାଣୀ ପ୍ରଧାନ ଜିଲ୍ଲାରେ ଚାଲୁଥିବା କୃଷି ଯୋଜନା, ବିଭିନ୍ନ କାର୍ଯ୍ୟକଳାପ ଏବଂ ଚଳିତ ଖରିଫ ଋତୁ ପାଇଁ ପ୍ରସ୍ତୁତ କୃଷି ରଣନୀତି ସମ୍ପର୍କରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ। ଏହାସହ ଉଦ୍ୟାନ କୃଷି ବିଭାଗର ସହକାରୀ ନିର୍ଦ୍ଦେଶକ, କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ତଥା ମୁଖ୍ୟ ଏବଂ ପିଡି, ୱାଟରସେଡ୍‌ ନିଜ ନିଜ ବିଭାଗର କାର୍ଯ୍ୟସୂଚୀ ଓ ଖରିଫ କାର୍ଯ୍ୟଯୋଜନା ସମ୍ପର୍କରେ ଅବଗତ କରାଇଥିଲେ।

🎯 ସାର ବିତରଣ ଉପରେ କଡ଼ା ନଜର।

ବୈଠକରେ ଜିଲ୍ଲାପାଳ ସାରର ସୁବ୍ୟବସ୍ଥିତ ବିତରଣ ଏବଂ ନିୟମାନୁପାଳନ ସୁନିଶ୍ଚିତ କରିବାକୁ ଗୁରୁତ୍ୱ ଦେଇଥିଲେ। ହୋଲସେଲରମାନଙ୍କ ବିକ୍ରୟ ବିବରଣୀକୁ ସମ୍ପୃକ୍ତ ରିଟେଲରଙ୍କ ପ୍ରକୃତ ଷ୍ଟକ୍‌ ସହ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିକ୍ରୟ ରେକର୍ଡ ଓ ପ୍ରକୃତ ଷ୍ଟକ୍‌ ମଧ୍ୟରେ ଅସଙ୍ଗତି ମିଳିଲେ ତୁରନ୍ତ ନିୟମାନୁସାରେ କାର୍ଯ୍ୟାନୁଷ୍ଠାନ ହେବ।ଜିଲ୍ଲାପାଳ ସ୍ପଷ୍ଟ କରିଥିଲେ ଯେ ନିର୍ଦ୍ଧାରିତ ମୂଲ୍ୟ ୨୬୬–୨୬୭ ଟଙ୍କାଠାରୁ ଅଧିକ ଦରରେ ୟୁରିଆ ବିକ୍ରି କଲେ ବେସରକାରୀ ରିଟେଲରଙ୍କ ବିରୋଧରେ କଠୋର ପଦକ୍ଷେପ ନିଆଯିବ। ଆବଶ୍ୟକ ହେଲେ ଲାଇସେନ୍ସ ବାତିଲ ସହ ବ୍ଲାକ୍‌ଲିଷ୍ଟିଂ ଭଳି ପଦକ୍ଷେପ ମଧ୍ୟ ଗ୍ରହଣ କରାଯିବ।
ସେହିପରି PACSଗୁଡ଼ିକରେ କୌଣସି ଅନିୟମିତତା ନଜରକୁ ଆସିଲେ ତୁରନ୍ତ ଜିଲ୍ଲାପାଳ କିମ୍ବା DRCଙ୍କୁ ଅବଗତ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।

🔷କଳାବଜାରୀ ଓ ମହଜୁଦଦାରୀ ରୋକିବାକୁ ନିର୍ଦ୍ଦେଶ।

ବର୍ତ୍ତମାନ ସାରର ଅଧିକ ଚାହିଦାକୁ ଦୃଷ୍ଟିରେ ରଖି ସମସ୍ତ ଫର୍ଟିଲାଇଜର ଇନ୍ସପେକ୍ଟରଙ୍କୁ ନିୟମିତ ଯାଞ୍ଚ ସହ କଡ଼ା ଏନ୍‌ଫୋର୍ସମେଣ୍ଟ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ସାରର କଳାବଜାରୀ, ମହଜୁଦଦାରୀ, ଅଧିକ ଦରରେ ବିକ୍ରି ଏବଂ ବେଆଇନ ଡାଇଭର୍ସନ୍‌ ରୋକିବା ପାଇଁ ସମସ୍ତ ସମ୍ପୃକ୍ତ ଅଧିକାରୀଙ୍କୁ ସତର୍କ ଓ ସକ୍ରିୟ ରହିବାକୁ କୁହାଯାଇଛି।

⭐ଜିଲ୍ଲାରେ ବିଭିନ୍ନ ସାରର ଷ୍ଟକ୍‌

ବୈଠକରେ ଦିଆଯାଇଥିବା ତଥ୍ୟ ଅନୁଯାୟୀ, ଆଜି ସୁଦ୍ଧା ଜିଲ୍ଲାରେ—

– ୟୁରିଆ: ୧,୧୦,୫୧୭ ବସ୍ତା
– DAP: ୯,୫୯୪ ବସ୍ତା
– MOP: ୬,୮୭୭ ବସ୍ତା
– SSP: ୪,୧୭୬ ବସ୍ତା
– NPKS: ୧୮,୭୮୩ ବସ୍ତା ସାର ଉପଲବ୍ଧ ରହିଛି।
ବୈଠକରେ ଏଡିଏ ଦୀପାଶ୍ରୀ ମଣ୍ଡଳ, ବିଏଓ ସତ୍ୟଭୂଷଣ ନାଗ, ଏଏଓ ବର୍ଷା ଆଜାଦଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

🔷୫ ଜଣ ପ୍ରଗତିଶୀଳ କୃଷକ ସମ୍ମାନିତ

ଏହି ଅବସରରେ ଜିଲ୍ଲାର କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସିନାପାଲି ର ଚୈତନ୍ୟ ମେହେର, ବୋଡେନ ର ଲୋଚନେ ମାଝୀ, ଖରିଆର ର ଭୂପେନ୍ଦ୍ର ବାଗ, ନୂଆପଡ଼ା ର ରମେଶ ବରିହା ଏବଂ କୋମନା ର ନରେନ୍ଦ୍ର ଧରୁଆଙ୍କୁ ପ୍ରଗତିଶୀଳ କୃଷକ ଭାବେ ସମ୍ମାନିତ କରାଯାଇଥିଲା।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha