120
Table of Contents
ନୂଆପଡ଼ା -୨/୬- “ମଣିଷର ନିରନ୍ତର ପରିଶ୍ରମ ଓ ନିଷ୍ଠା ହିଁ ତାକୁ ସମାଜରେ ପ୍ରତିଷ୍ଠିତ କରିଥାଏ। ଜୀବନରେ ସଫଳତା ପାଇବା ପାଇଁ କୌଣସି ସର୍ଟକଟ୍ ନାହିଁ।” ନୂଆପଡ଼ା ଜିଲ୍ଲା ଶିଳ୍ପ କେନ୍ଦ୍ର ଆନୁକୂଲ୍ୟରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଏଭଳି ପ୍ରେରଣାଦାୟୀ ବାର୍ତ୍ତା ଦେଇଛନ୍ତି ଜିଲ୍ଲାପାଳ ମଧୁସୂଦନ ଦାଶ।
ସ୍ଥାନୀୟ ସଦ୍ଭାବନା ସଭାଗୃହଠାରେ ଏମ୍ଏସ୍ଏମ୍ଇ କ୍ଷେତ୍ର ଅଧୀନରେ “ଉଦ୍ୟୋଗୀ ସଚେତନତା ଏବଂ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ” ଅନୁଷ୍ଠିତ ହୋଇଯାଇଛି, ଯେଉଁଥିରେ ଜିଲ୍ଲାପାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।
ସଭାକୁ ସମ୍ବୋଧିତ କରି ଜିଲ୍ଲାପାଳ କହିଥିଲେ ଯେ, ନୂଆପଡ଼ା ଜିଲ୍ଲାରେ କୃଷି, ଖାଦ୍ୟ ପ୍ରକ୍ରିୟାକରଣ, ଉତ୍ପାଦନ ଏବଂ ସେବା କ୍ଷେତ୍ରରେ ନୂତନ ଉଦ୍ୟୋଗ ସ୍ଥାପନ ପାଇଁ ବ୍ୟାପକ ସୁଯୋଗ ରହିଛି। ଜିଲ୍ଲାର ବେକାର ଯୁବକ ଓ ଯୁବତୀମାନେ ନିଜ ଗୋଡ଼ରେ ନିଜେ ଠିଆ ହେବା ଆବଶ୍ୟକ। ଏଥିପାଇଁ ସେମାନେ ବିଭିନ୍ନ ସରକାରୀ ବିଭାଗ ସହ ଯୋଗାଯୋଗ କରି ସରକାରଙ୍କ ଉଦ୍ୟୋଗ ପ୍ରୋତ୍ସାହନ ଯୋଜନାର ଭରପୂର ସୁଯୋଗ ନେବା ସହ ନିଜକୁ ଜଣେ ଜଣେ ସଫଳ ଉଦ୍ୟୋଗୀ ଭାବେ ଗଢ଼ି ତୋଳିବାକୁ ସେ ଆହ୍ୱାନ ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ତାରେଶ୍ୱରୀ ସାହୁ ନୂଆପଡ଼ା ବ୍ଲକ ଅଧ୍ୟକ୍ଷା,ଅନୁସୂୟା କୁମ୍ଭାର କୋମନା ବ୍ଲକ ଅଧ୍ୟକ୍ଷା ଓ କ୍ଷମାନିଧି ଭୋଇ ଜିଲ୍ଲା ପରିଷଦର ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଯୋଗଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ। ସ୍ଥାନୀୟ ସ୍ତରରେ ଉଦ୍ୟୋଗ ପ୍ରତିଷ୍ଠା ମାଧ୍ୟମରେ କିଭଳି ବ୍ୟାପକ ରୋଜଗାର ସୃଷ୍ଟି କରାଯାଇପାରିବ ଏବଂ ଜିଲ୍ଲାର ଅର୍ଥନୀତି ତଥା ଜନସାଧାରଣଙ୍କ ଆର୍ଥିକ ସଶକ୍ତିକରଣ ହୋଇପାରିବ, ସେ ନେଇ ସେମାନେ ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଜିଲ୍ଲା ଶିଳ୍ପ କେନ୍ଦ୍ରର ମହାପ୍ରବନ୍ଧକ ସମୀର ମୁଦୁଲି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଏହାପରେ ପ୍ରକଳ୍ପ ପରିଚାଳକ ପ୍ରଜ୍ଞା କୁମାର ମିଶ୍ର ଚଳିତ ୨୦ ଫଣ୍ଟ ୨୬-୨୭ ଆର୍ଥିକ ବର୍ଷ ପାଇଁ ଏମ୍ଏସ୍ଏମ୍ଇ ବିଭାଗର ବିଭିନ୍ନ ଲୋକାଭିମୁଖୀ ଯୋଜନା, ନୂତନ ନୀତି ଏବଂ ସରକାରୀ ସହାୟତା ସମ୍ପର୍କରେ ଏକ ସୁନ୍ଦର ପାୱାର ପଏଣ୍ଟ ଉପସ୍ଥାପନା କରି ସବିଶେଷ ସୂଚନା ଦେଇଥିଲେ। ଏହା ସହିତ ଉପସ୍ଥିତ ଅନ୍ୟାନ୍ୟ ବିଭାଗର ଅଧିକାରୀମାନେ ମଧ୍ୟ ସ୍ୱରୋଜଗାର ଏବଂ ଶିଳ୍ପ ବିକାଶର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ଉଦ୍ୟୋଗୀ ଓ ଯୁବକ ଯୁବତୀମାନେ ନିଜର ଅନୁଭୂତି ସେୟାର କରିବା ସହ ନିଜ ସମସ୍ୟା ବିଷୟରେ ପ୍ରଶାସନକୁ ଅବଗତ କରାଇଥିଲେ।
୧୦ ଜଣ ସଫଳ ଉଦ୍ୟୋଗୀ ସମ୍ବର୍ଦ୍ଧିତ।ସ୍ଥାନୀୟ ସ୍ତରରେ ଉଲ୍ଲେଖନୀୟ ସଫଳତା ହାସଲ କରିବା ସହ ଅନ୍ୟମାନଙ୍କ ପାଇଁ ରୋଜଗାରର ପନ୍ଥା ସୃଷ୍ଟି କରିଥିବା ଜିଲ୍ଲାର ୧୦ ଜଣ ସଫଳ ଏବଂ ଉଦୀୟମାନ ଉଦ୍ୟୋଗୀ ଙ୍କୁ ଏହି ଅବସରରେ ମଞ୍ଚରେ ସମ୍ବର୍ଦ୍ଧିତ କରାଯାଇଥିଲା। ସେମାନେ ହେଲେ ଭାରତୀ ବାଇ ବାଗ, ମମତା ଖମାରୀ, ସରିତା ସିଂହ, ରାଜ ସାହୁ, ଅମରେନ୍ଦ୍ର ମହାନ୍ତି, ଅର୍ଜୁନ ସିଂହ ଦଳପତି, କୃଷ୍ଣ ଚନ୍ଦ୍ର ମେହେର, ବିନୟ ଜୈନ, ବିଶେଷ ଅଗ୍ରୱାଲ ଏବଂ ଭୂପେନ୍ଦ୍ର ସାହୁ।
ଏହି ସଚେତନତା ଶିବିରରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ଶତାଧିକ ଉଦ୍ୟୋଗୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି) ର ସଦସ୍ୟା ଏବଂ ନୂତନ ବ୍ୟବସାୟ ଆରମ୍ଭ କରିବାକୁ ଆଶା ରଖିଥିବା ବହୁ ସଂଖ୍ୟକ ଯୁବକ ଯୁବତୀ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ।