18
ନୂଆପଡ଼ା- ୧୩ ଜୁନ୍ ସ୍ୱାସ୍ଥ୍ୟ ସେବାରେ ଅବହେଳା କଲେ ଆଉ ନିସ୍ତାର ନାହିଁ। କର୍ତ୍ତବ୍ୟରେ ଗାଫିଲତି ପ୍ରଦର୍ଶନ କରୁଥିବା ସରକାରୀ ବାବୁମାନ ଙ୍କୁ ଶକ୍ତ ଚେତାବନୀ ଦେଇଛନ୍ତି ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶ। ଗତ ୧୦ ଜୁନ ରେ ଧରମବନ୍ଧା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (PHC) ରେ ଜିଲ୍ଲାପାଳଙ୍କ ଅଚାନକ ଗସ୍ତ ସରକାରୀ କଳ ମଧ୍ୟରେ କମ୍ପନ ସୃଷ୍ଟି କରିଛି। ଗସ୍ତ ସମୟରେ ଚିକିତ୍ସାଳୟରେ କୌଣସି ଡାକ୍ତର ଉପସ୍ଥିତ ନଥିବା ଦେଖି ଜିଲ୍ଲାପାଳ ଗଭୀର ଅସନ୍ତୋଷ ବ୍ୟକ୍ତ କରିବା ସହ ତତ୍କାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।ଆୟୁଷ ଡାକ୍ତରଙ୍କ ଜୁନ୍ ମାସ ଦରମା ବନ୍ଦ। ତଦନ୍ତରୁ ଜଣାପଡ଼ିଛି ଯେ, ଧରମବନ୍ଧା ପିଏଚ୍ସିରେ କାର୍ଯ୍ୟରତ ଆୟୁଷ ଚିକିତ୍ସା ଅଧିକାରୀ ଡା. ରାକେଶ କୁମାର ସାହୁ ଛୁଟି ପାଇଁ ଆବେଦନ କରିଥିଲେ ମଧ୍ୟ ତାହା ଉପରିସ୍ଥ କର୍ତ୍ତୃପକ୍ଷଙ୍କ ଦ୍ୱାରା ମଞ୍ଜୁର ହୋଇନଥିଲା। ଏହା ସତ୍ତ୍ୱେ ସେ ମନମୁଖୀ ଭାବେ କାର୍ଯ୍ୟସ୍ଥଳରୁ ଅନୁପସ୍ଥିତ ରହି ସ୍ୱାସ୍ଥ୍ୟସେବାକୁ ବିପର୍ଯ୍ୟସ୍ତ କରିଥିଲେ। କଡ଼ା ଆକ୍ସନ୍- ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସାହୁଙ୍କୁ ୩ ଦିନ ମଧ୍ୟରେ ଜବାବ ରଖିବାକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି। ଏହା ସହ ସ୍ପଷ୍ଟୀକରଣ ନମିଳିବା ପର୍ଯ୍ୟନ୍ତ ତାଙ୍କର ଚଳିତ ଜୁନ ମାସର ଦରମା ରୋକିବାକୁ ନିର୍ଦ୍ଦେଶ ଦିଆଯାଇଛି। ସନ୍ତୋଷଜନକ ଉତ୍ତର ନମିଳିଲେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜଣାପଡ଼ିଛି।ଜିଲ୍ଲାପାଳ କେବଳ ନୋଟିସ ଜାରି କରି ଚୁପ୍ ବସିନାହାନ୍ତି, ବରଂ ସ୍ୱାସ୍ଥ୍ୟ କେନ୍ଦ୍ରର କାର୍ଯ୍ୟପ୍ରଣାଳୀକୁ ତୃଣମୂଳ ସ୍ତରରୁ ପରଖିଛନ୍ତି। ସେ ସେଠାରେ ଚିକିତ୍ସିତ ହେଉଥିବା ରୋଗୀ ଓ କର୍ମଚାରୀଙ୍କ ସହ ସେବା ସମ୍ପର୍କରେ ସିଧାସଳଖ ଆଲୋଚନା କରିଥିଲେ। ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା ଜଣେ ମଧୁମେହ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଜିଲ୍ଲାପାଳ ସ୍ୱୟଂ ଅବଗତ ହୋଇଥିଲେ। ତାଙ୍କୁ ତୁରନ୍ତ ଉପଯୁକ୍ତ ଚିକିତ୍ସା ଯୋଗାଇବା ଏବଂ ଆବଶ୍ୟକ ପଡ଼ିଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ସ୍ୱାସ୍ଥ୍ୟ କେନ୍ଦ୍ରରେ ଫାର୍ମାସିଷ୍ଟ ପଦବୀର ବ୍ୟବସ୍ଥା ଏବଂ ଅନ୍ୟାନ୍ୟ କର୍ମଚାରୀ ନିୟୋଜନ ପ୍ରସଙ୍ଗରେ ଥିବା ତ୍ରୁଟି ଉପରେ ମଧ୍ୟ ସେ ସ୍ପଷ୍ଟୀକରଣ ମାଗିଛନ୍ତି। “ଅବହେଳାକୁ ବରଦାସ୍ତ କରାଯିବ ନାହିଁ” – ଜିଲ୍ଲାପାଳ ଏହି ଘଟଣା ପରେ ଜିଲ୍ଲାପାଳ ମଧୁସୂଦନ ଦାଶ ସମଗ୍ର ଜିଲ୍ଲାର ସ୍ୱାସ୍ଥ୍ୟ ବିଭାଗକୁ ଏକ ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି। ସେ କହିଛନ୍ତି ଯେ, “ସ୍ୱାସ୍ଥ୍ୟସେବା ଭଳି ଜନ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ କୌଣସି ବି ପରିସ୍ଥିତିରେ ଅବହେଳାକୁ ବରଦାସ୍ତ କରାଯିବ ନାହିଁ। ଜନସାଧାରଣଙ୍କୁ ନିରବଚ୍ଛିନ୍ନ ଓ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ପୂର୍ଣ୍ଣ ଦାୟିତ୍ୱବୋଧ ଏବଂ ନିଷ୍ଠାର ସହ କାର୍ଯ୍ୟ କରିବାକୁ ପଡ଼ିବ।” ଜିଲ୍ଲାପାଳଙ୍କ ଏଭଳି ଆଭିମୁଖ୍ୟକୁ ସାଧାରଣ ଜନତା ସ୍ୱାଗତ କରିଥିବା ବେଳେ ଆଗାମୀ ଦିନରେ ଅନ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକର ସ୍ଥିତି ସୁଧୁରିବ ବୋଲି ଆଶା କରାଯାଉଛି।(Photo AI)