108
ନୂଆପଡ଼ା -୧/୦୬- ନୂଆପଡ଼ା ଜିଲ୍ଲାରେ ଚଳିତ ରବି ଧାନ ଅଧିଗ୍ରହଣ ପ୍ରକ୍ରିୟା ବେଶ ସୁଚାରୁ ଓ ସ୍ୱଚ୍ଛ ଭାବେ ଆଗେଇ ଚାଲିଛି। କୃଷକମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏବଂ ଧାନ ସଂଗ୍ରହ କାର୍ଯ୍ୟକୁ ଅଧିକ ଗତିଶୀଳ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜିଠାରୁ ଆହୁରି ୩ ଟି ନୂଆ ପେଡ଼ି ପ୍ରୋକ୍ୟୁରମେଣ୍ଟ ସେଣ୍ଟର କାର୍ଯ୍ୟକ୍ଷମ କରାଯାଇଛି।
ଆଜିଠାରୁ ଏହି ସବୁ କେନ୍ଦ୍ରରେ ଧାନ କ୍ରୟ ଆରମ୍ଭ ହୋଇଛି।କୋମନା ପ୍ୟାକ୍ସ ଅଧୀନସ୍ଥ ଉଦ୍ୟାନବନ୍ଧ ପିପିସି , ସିନାପାଲି ପ୍ୟାକ୍ସ ଓ କାଣ୍ଡେତରା ପ୍ୟାକ୍ସ ।ଏହା ସହିତ ଜିଲ୍ଲାରେ ବର୍ତ୍ତମାନ ମୋଟ ୧୩ ଟି ପିପିସି ରେ ଧାନ କ୍ରୟ କାର୍ଯ୍ୟ ଚାଲିଛି। ଏପର୍ଯ୍ୟନ୍ତ ୩୯୪ ଜଣ କୃଷକଙ୍କ ଠାରୁ ମୋଟ ୨୦,୭୧୫.୨୫ କ୍ୱିଣ୍ଟାଲ ଧାନ କ୍ରୟ କରାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଧାନ ଅଧିଗ୍ରହଣ ପ୍ରକ୍ରିୟାକୁ ସୁଚାରୁ,ସ୍ୱଚ୍ଛ ଭାବେ ପରିଚାଳନା କରିବା ପାଇଁ ସମସ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି।
ସୀମାନ୍ତରେ ହାଇ-ଆଲର୍ଟ ଜାରି, ବେଆଇନ ଧାନ ପରିବହନ ଉପରେ ‘ଜିରୋ ଟଲରେନ୍ସ’ । ଅନ୍ୟପକ୍ଷରେ, ପଡ଼ୋଶୀ ଛତିଶଗଡ଼ ରାଜ୍ୟ ରୁ ଯେପରି କୌଣସି ବେଆଇନ ଧାନ ଓଡ଼ିଶା ଭିତରକୁ ପ୍ରବେଶ ନକରିପାରିବ, ସେଥିପାଇଁ ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଅଞ୍ଚଳରେ ତୀକ୍ଷ୍ଣ ଦୃଷ୍ଟି ରଖାଯାଇଛି। ଜିଲ୍ଲା ପ୍ରଶାସନ, ଯୋଗାଣ ବିଭାଗ, ରାଜସ୍ୱ ବିଭାଗ, ମଣ୍ଡି କର୍ତ୍ତୃପକ୍ଷ ଏବଂ ପୋଲିସ ବିଭାଗକୁ ନେଇ ଗଠିତ ଏକ ସ୍ୱତନ୍ତ୍ର ମିଳିତ ଟିମ୍ ସୀମାନ୍ତ ଅଞ୍ଚଳରେ ନିୟମିତ ପାଟ୍ରୋଲିଂ ଓ ଯାନବାହନ ଯାଞ୍ଚ କରୁଛନ୍ତି। ବେଆଇନ ଧାନ କାରବାର ବିରୋଧରେ ପ୍ରଶାସନ ‘ଜିରୋ ଟଲରେନ୍ସ’ ନୀତି ଆପଣାଇଥିବା ବେଳେ, ନିୟମ ଉଲ୍ଲଂଘନକାରୀ ଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି।
ଧାନ କ୍ରୟ ପ୍ରକ୍ରିୟାକୁ ସ୍ୱଚ୍ଛ ଓ ସୁବ୍ୟବସ୍ଥିତ ରଖିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଚାଷୀ ଭାଇମାନଙ୍କୁ ସହଯୋଗ କରିବାକୁ ଅନୁରୋଧ କରାଯାଇଛି। କୃଷକମାନେ କୌଣସି ଦଲାଲ୍ ଙ୍କ ପ୍ରରୋଚନାରେ ନଆସି, ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ପିପିସି ମାଧ୍ୟମରେ ହିଁ ନିଜର ଧାନ ବିକ୍ରୟ କରିବାକୁ କୁହାଯାଇଛି।