ନୂତନ ଅପରାଧିକ ଆଇନ ସଚେତନତା ପାଇଁ କର୍ମଶାଳା
ନୂଆପଡ଼ା – ୧୯/୬(ଏମ.ଇ)
ନୂଆପଡ଼ା ଜିଲ୍ଲାରେ ନୂତନ ଭାରତର ନୂତନ ଆଇନ – ନୂତନ ଅପରାଧିକ ଆଇନର କାର୍ଯ୍ୟକାରିତା ପାଇଁ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି l ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜି ଆର ରେଡ୍ଡୀ ରାଘବେନ୍ଦ୍ର ସମସ୍ତଙ୍କୁ ସ୍ୱାଗତ କରି କର୍ମଶାଳାର ଉଦ୍ଦେଶ୍ୟ ସମ୍ବନ୍ଧରେ ଅବଗତ କରାଇଥିଲେ l ସେ କହିଲେ ଯେ ଭାରତୀୟ ସଂସଦ ତିନୋଟି ଐତିହାସିକ ଆଇନ ଯଥା ଭାରତୀୟ ଦଣ୍ଡବିଧି ସଂହିତା, ୧୮୬୦, କ୍ରିମିନାଲ ପ୍ରୋସିଜର କୋଡ୍, ୧୯୭୩ ଏବଂ ଭାରତୀୟ ପ୍ରମାଣ ଆଇନ, ୧୮୭୨ କୁ ଯଥାକ୍ରମେ ଭାରତୀୟ ନ୍ୟାୟ ସଂହିତା, ୨୦୨୩, ଭାରତୀୟ ନାଗରିକ ସୁରକ୍ଷା ସଂହିତା, ୨୦୧୩ ଏବଂ ଭାରତୀୟ ସାକ୍ଷ୍ୟ ସଂହିତା, ୨୦୨୩ ହିସାବରେ ବଦଳାଇ ଅପରାଧିକ ନ୍ୟାୟ ବ୍ୟବସ୍ଥାରେ ଏକ ପରିବର୍ତନମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ଭାରତୀୟ ନ୍ୟାୟ ମୂଲ୍ୟବୋଧ ଉପରେ ଆଧାରିତ ଏହି ନୂତନ ଆଇନ ଭାରତୀୟ ନ୍ୟାୟ ପଦ୍ଧତିକୁ ପ୍ରତିଫଳିତ କରି ଦଣ୍ଡମୂଳକ ଦୃଷ୍ଟିକୋଣରୁ ନ୍ୟାୟଭିତ୍ତୀକ ଆଭିମୁଖ୍ୟ ଆଡ଼କୁ ପରିବର୍ତ୍ତନ ସୂଚାଇଥାଏ । ଏହାର ମୁଖ୍ୟ ଲକ୍ଷ୍ୟ ହେଉଛି ଏକ ଉନ୍ନୀତ ନ୍ୟାୟ ବ୍ୟବସ୍ଥା ସୃଷ୍ଟି କରିବା ଯାହା କେବଳ ନାଗରିକଙ୍କ ଅଧିକାରକୁ ସୁରକ୍ଷିତ କରେ ନାହିଁ ବରଂ ଆଇନ ବ୍ୟବସ୍ଥାକୁ ମଧ୍ୟ ବଜାୟ ରଖେ lସମସ୍ତଙ୍କ ପାଇଁ ସୁଲଭ ଓ ତ୍ବରିତ ନ୍ୟାୟ ସୁନିଶ୍ଚିତ କରେ I ଏହି ସଂସ୍କାର ଭାରତରେ ଏକ ସମାନ, ଆଧୁନିକ ଏବଂ ନ୍ୟାୟସମ୍ପନ୍ନ ଆଇନଗତ ଢାଞ୍ଚା ଦିଗରେ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପକୁ ସୂଚିତ କରୁଛି ।
ନୂତନ ଅପରାଧିକ ଆଇନ ୧ ଜୁଲାଇ, ୨୦୨୪ ରୁ ଲାଗୁ ହୋଇଛି l ବ୍ରିଟିଶ ଅମଳର ଫୌଜଦାରି ଆଇନ ବଦଳରେ ଲାଗୁ ହୋଇଛି ଏହି ତିନି ନୂଆ ଆଇନ lଏଥିରେ ସଂଗଠିତ ଆକ୍ରମଣ, ଆତଙ୍କବାଦ ଏବଂ ଗଣହତ୍ୟାକୁ ନୂଆ ଶ୍ରେଣୀର ଅପରାଧ ଭାବେ ବିବେଚନା କରାଯାଇଛିl ଆତଙ୍କବାଦ କାର୍ଯ୍ୟକଳାପ ପାଇଁ ମୃତ୍ୟୁଦଣ୍ଡ କିମ୍ବା ଆଜୀବନ କାରାଦଣ୍ଡ ବ୍ୟବସ୍ଥା ଥିବାବେଳେ ଏହା ସହିତ ଜରିମାନା ଲାଗୁ ହେବା। ଅପହରଣ ଦାଦାବଟି ଆର୍ଥିକ ହେରାଫେରି ସାଇବର କ୍ରାଇମକୁ ସଂଗଠିତ ଅପରାଧ ଭାବେ ବିବେଚନା କରାଯାଇଛି। ଏଥିପାଇଁ ମୃତ୍ୟୁଦଣ୍ଡ ବ୍ୟବସ୍ଥା ମଧ୍ୟ ରହିଛି। ଭିଡ ହିଂସା ପାଇଁ ସାତ ବର୍ଷ କାରାଦଣ୍ଡ ବ୍ୟବସ୍ଥା ଅଛିl ନାବାଳିକା ଦୁଷ୍କର୍ମ କାରିଙ୍କୁ ମୃତ୍ୟୁଦଣ୍ଡ ପ୍ରାବଧାନ ଅଛି l ଗଣ ଦୁଷ୍କର୍ମ ମାମଲାରେ କୋଡିଏ ବର୍ଷ ଜେଲ ଦଣ୍ଡ ହେଇପାରେ। ଦେଶ ଦ୍ରୋହ ଓ ବିଛିନ୍ନତାବାଦ, ସଶସ୍ତ୍ର ବିଦ୍ରୋହକୁ ଦେଶ ଦ୍ରୋହ ମାମଲା ହିସାବରେ ବିଚାର କରାଯିବl ଦୁଷ୍କର୍ମ ମାମଲାରେ ସାତ ଦିନ ଭିତରେ ମେଡିକାଲ ରିପୋର୍ଟ ଦିଆଯିବ ଏବଂ ତିରିଶ ଦିନ ଭିତରେ ଶୁଣାଣି ଆରମ୍ଭ ହେବ l ଭାରତୀୟ ସାକ୍ଷ୍ୟ ଅଧିନୀୟମ ରେ ପ୍ରତ୍ୟକ ପୀଡ଼ିତଙ୍କୁ ସୁନିଶ୍ଚିତ ନ୍ୟାୟ ପ୍ରଦାନ ସହିତ ମହିଳା ଓ ଶିଶୁଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ଦିଆଯିବ lକେଶ ମାନଙ୍କର ସମୟ ଲବ୍ଧ ଫଇସଲା ପାଇଁ ପୋଲିସ ଏବଂ ଅଦାଲତ ମାନଙ୍କୁ ନିର୍ଦ୍ଧିଷ୍ଟ ସମୟ ଧାର୍ଯ୍ୟ କରାଯାଇଛି l ସୂଚନାଯୋଗ୍ଯ ଯେ ନୂତନ ଆଇନର ପ୍ରମୁଖ ବୈଶିଷ୍ଟ୍ୟ ଗୁଡିକ ବିଷୟରେ ନାଗରିକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତ୍ୟେକ ଥାନାର ଭାରପ୍ରାପ୍ତ ଅଧିକାରୀ ମାନେ କାର୍ଯ୍ୟକ୍ରମ ଆୟୋଜନ କରିବେl ଏହି କାର୍ଯ୍ୟକ୍ରମରେ ମହିଳା, ଯୁବକ, ଛାତ୍ର ଛାତ୍ରୀ, ବରିଷ୍ଠ ନାଗରିକ, ଅବସରପ୍ରାପ୍ତ ପୁଲିସ ଅଧିକାରୀ, ବିଶିଷ୍ଟ ବ୍ୟକ୍ତି, ସ୍ବୟଂ ସହାୟକ ଗୋଷ୍ଠୀ, ଅଙ୍ଗନବାଡ଼ି କେନ୍ଦ୍ର କର୍ମୀ , ସ୍ଥାନୀୟ ଶାନ୍ତି କମିଟି ଏବଂ ଶିକ୍ଷାନୁଷ୍ଠାନ ଯଥା ସ୍କୁଲ ଓ କଲେଜର ସଦସ୍ୟମାନେ ଅଂଶଗ୍ରହଣ କରିପାରିବେ। ଆଜିର ଏହି ସଚେତନତା କର୍ମଶାଳାରେ ଅତିରିକ୍ତ ଜିଲ୍ଲାପାଳ ଭୀମସେନ ଶବର, ସୁବାଷ ଚନ୍ଦ୍ର ରଇତ, ଜିଲ୍ଳା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରଣଜିତ୍ ନାୟକ, ଉପ ଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ଜିଲ୍ଲାର ସବୁ ପ୍ରଶାସନିକ ଅଧିକାରୀ,ବିଭିନ୍ନ ଜିଲ୍ଳା ସ୍ତରୀୟ ଅଧିକାରୀ ଏବଂ ବିଭିନ୍ନ ପୋଲିସ ଅଧିକାରୀ ଅଂଶ ଗ୍ରହଣ କରିଥିଲେ l ଜିଲ୍ଲାପାଳ ସମସ୍ତଙ୍କୁ ସମ୍ବୋଧନ କରି କହିଲେ ଯେ ସମ୍ପୃକ୍ତ ଅଧିକାରୀ ମାନେ ବାରମ୍ବାର ଆଇନକୁ ପଢି ତାକୁ ବୁଝିବେ ଓ କାର୍ଯ୍ୟରେ ପ୍ରୟୋଗ କରିବେ l ନୂଆ ଆଇନ ର ସମସ୍ତ ଧାରା ଅକ୍ଷରେ ଅକ୍ଷରେ କାର୍ଯ୍ୟକାରୀ ହେବ l ଶିଶୁ, ମହିଳା ଓ ସମାଜର ଦୁର୍ବଳ ଶ୍ରେଣୀ ଉପରେ ହେଉଥିବା ଅତ୍ୟାଚାରର ତୁରନ୍ତ ସମାଧାନ ହେବ l ନୂତନ ଅପରାଧିକ ଆଇନ ସମାଜରେ ନ୍ୟାୟ ବ୍ୟବସ୍ଥାକୁ ଆହୁରି ସଶକ୍ତ କରିବ l