ବିକାଶ ମେଳା ନୂଆପଡ଼ା ରେ ପ୍ରଥମ ଥର ପାଇଁ ଖୋଲିଲା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଷ୍ଟଲ
ନୂଆପଡ଼ା -୧୪/୬ ନୂଆପଡା ଜିଲ୍ଲାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପ୍ରତିଷ୍ଠିତ ହେବା ପରଠାରୁ ପ୍ରଥମ ଥର ପାଇଁ ଏକ ଷ୍ଟଲ୍ ଖୋଲିଛି । ପ୍ରାଧିକରଣ ତରଫରୁ ୧୨ ଜୁନ ୨୦୨୫ ଠାରୁ ବିକାଶ ମେଳାରେ ଏକ ଷ୍ଟଲ୍ (ଷ୍ଟଲ୍ ନମ୍ବର-୧) ଖୋଲାଯାଇଛି। ଉକ୍ତ ଦିନ ମାନ୍ୟବର ଜିଲ୍ଲା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୂଆପଡ଼ାର ଅଧ୍ୟକ୍ଷ ନିରଞ୍ଜନ ପଣ୍ଡା ଏହି ଷ୍ଟଲ୍ ଟିର ଉଦ୍ଘାଟନ କରିଥିଲେ । ଏଥିରେ ପ୍ରାଧିକରଣର ସଚିବ ସୁଶ୍ରୀ ନବନୀତା ଦାଶ, ବରିଷ୍ଠ ଦେୱାନୀ ଜଜ୍ (ମହିଳା କୋର୍ଟ୍) ଶ୍ରୀମତୀ ସରୋଜିନୀ ସାହୁ, ଜିଲ୍ଲାର ସରକାରୀ ଓକିଲ ତଥା ପ୍ରାଧିକରଣର ସଦସ୍ୟ ତ୍ରିଲୋକ ଚାନ୍ଦ ସୋନୀ, ନୂଆପଡା ଜିଲ୍ଲା ଓକିଲ ସଂଘର ସଚିବ ପ୍ୟାରିଲାଲ ଦେୱାଙ୍ଗନ, ଅନ୍ୟାନ୍ୟ ପ୍ୟାନେଲ ଓକିଲ ଏବଂ ପ୍ରାଧିକରଣର ଆଇନ ସ୍ୱେଚ୍ଛାସେବକମାନେ, ଅଧିକାର ମିତ୍ରଗଣ ଉପସ୍ଥିତ ଥିଲେ। ସଚିବ ସୂଚନା ଦେଇ କହିଛନ୍ତି ଯେ ମାଗଣା ଆଇନ ସହାୟତା ଚାହୁଁଥିବା ସମସ୍ତ ଆଗ୍ରହୀ ସାଧାରଣ ଲୋକଙ୍କୁ ଏକ ଆଇନଗତ ସହାୟତା କ୍ଲିନିକ୍ ରୂପେ ଆଇନ ସେବା ଯୋଗାଇବା ପାଇଁ ଏହି ଷ୍ଟଲ୍ ଟି ଖୋଲାଯାଇଛି। ସୁଶ୍ରୀ ଦାଶ ଆହୁରି କହିଛନ୍ତି ଯେ, ଭାରତୀୟ ସମ୍ବିଧାନର ଧାରା ୩୯କ ଅନୁଯାୟୀ ମାଗଣା ଆଇନଗତ ସହାୟତା ପ୍ରଦାନ କରିବା ହେଉଛି ସରକାରଙ୍କର ସାମ୍ବିଧାନିକ ଦାୟିତ୍ୱ । ଏହି ଦାୟିତ୍ୱକୁ ସମ୍ପନ୍ନ କରିବା ଅର୍ଥେ ଲୋକମାନଙ୍କୁ ବିନା ମୂଲ୍ୟରେ ଆଇନ ସେବା ଯୋଗାଇବାକୁ ଏହି ଷ୍ଟଲ୍ ଖୋଲାଯାଇଛି । ସେ ଏହା ମଧ୍ୟ କହିଛନ୍ତି ଯେ ଜାତୀୟ ଆଇନ ସେବା ପ୍ରାଧିକରଣର ଟୋଲ୍ ଫ୍ରି ହେଲ୍ପଲାଇନ୍ ନମ୍ବର ୧୫୧୦୦ର ପ୍ରଚାର ଓ ପ୍ରସାର କରିବା ପାଇଁ ପ୍ୟାନେଲ୍ ଓକିଲ ଏବଂ ପାରା ଲିଗାଲ୍ ସ୍ୱେଚ୍ଛାସେବୀମାନଙ୍କୁ ଷ୍ଟଲ୍ ରେ ନିୟୋଜିତ କରାଯାଇଛି । ଏହି ଟୋଲ୍ ଫ୍ରି ନମ୍ବରଟି ଦେଶର ଯେକୌଣସି ସ୍ଥାନରୁ ଫୋନ୍ ମାଧ୍ୟମରେ ଆଇନଗତ ସହାୟତା ପାଇବା ପାଇଁ ସାଧାରଣ ଜନତାଙ୍କ ପାଇଁ ଉପଲବ୍ଧ।